ରାମ ମନ୍ଦିରରେ ଚାକିରି ପାଇଁ କୋଟି କୋଟିର ଲାଞ୍ଚ କାରବାର

ରାମ ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାର ଯାଞ୍ଚ ଚାଲିଥିବା ବେଳେ ଏବେ ଆଉ ଏକ ସାଙ୍ଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ମନ୍ଦିରରେ ହୋଇଥିବା ନିଯୁକ୍ତି ପ୍ରକ୍ରିୟା ଏବେ ସନ୍ଦେହ ଘେରକୁ ଆସିଛି । ସୂଚନା ଅନୁସାରେ, ରାମ ମନ୍ଦିରରେ ଚାକିରି କରାଇଦେବା ନାଁରେ ବଡ଼ ଧରଣର ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଛି, ଯାହାର ତଦନ୍ତ ଏବେ ପୋଲିସ କରୁଛି । ପୋଲିସ ବିଭିନ୍ନ ଦସ୍ତାବିଜ୍, ଆର୍ଥିକ କାରବାର ଏବଂ ସମ୍ପୃକ୍ତ ବ୍ୟକ୍ତିଙ୍କ ବୟାନକୁ ଆଧାର କରି ପୋଲିସ ଖୋଳତାଡ଼ ଜାରି ରଖିଛି ।ଗିରଫ ଅଭିଯୁକ୍ତ ଅବିନାଶ ଶୁକ୍ଲାକୁ ଜେରା କରିବା ସମୟରେ ତଦନ୍ତକାରୀ ସଂସ୍ଥାକୁ କିଛି ଏଭଳି ଗୁରୁତ୍ୱପୂର୍ଣ୍ଣ ସୁରାଗ ମିଳିଛି, ଯାହା ସାରା ମାମଲାର ମୋଡ଼ ବଦଳାଇ ଦେଇଛି । ଜେରା ବେଳେ ଟ୍ରଷ୍ଟର ଜଣେ ସଦସ୍ୟଙ୍କ ନାଁ ବାରମ୍ବାର ସାମ୍ନାକୁ ଆସୁଥିବାରୁ, ଏବେ ଉକ୍ତ ସଦସ୍ୟଙ୍କ ଭୂମିକାକୁ ନେଇ ପୁଲିସ ଛାନଭିନ୍‌ ଆରମ୍ଭ କରିଛି । ମନ୍ଦିର ନିଯୁକ୍ତିରେ କୌଣସି ପ୍ରକାରର ଆର୍ଥିକ ଅନିୟମିତତା ହୋଇଛି କି ନାହିଁ, ତାହାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା କରାଯାଉଛି ।ରାମ ମନ୍ଦିର ପ୍ରତିଷ୍ଠାନର ବିଭିନ୍ନ ପଦବୀରେ ପ୍ରାୟ ୧୨୫ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଥିଲା । ଏମାନଙ୍କ ମଧ୍ୟରୁ ଅନେକ ପ୍ରାର୍ଥୀ ଚାକିରି ପାଇବା ପାଇଁ ମୋଟା ଅଙ୍କର ଟଙ୍କା ଦେଇଥିବା ଅଭିଯୋଗ ହୋଇଛି । ମନ୍ଦିରରୁ ଦାନ ଅର୍ଥ ଚୋରି ମାମଲାରେ ଗିରଫ ହୋଇ ଏବେ ବିଚାର ବିଭାଗୀୟ ହାଜତରେ ଥିବା ଅନୁକଳ୍ପ ମିଶ୍ର ଏବଂ ଲବକୁଶ ମିଶ୍ରଙ୍କୁ ମଧ୍ୟ ଏହି ନିଯୁକ୍ତି ଦୁର୍ନୀତି ମାମଲାରେ ସାମିଲ କରାଯାଇଛି । ଏହି ସମଗ୍ର ନିଯୁକ୍ତି ଦୁର୍ନୀତିର ଯାଞ୍ଚ ପ୍ରକ୍ରିୟା ଏସଆଇଟିର ବିସ୍ତୃତ ରିପୋର୍ଟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେବାକୁ ଯାଉଛି । ତେବେ ତଦନ୍ତ ଶେଷ ହେବା ପରେ ହିଁ ଅସଲ ସତ ସାମ୍ନାକୁ ଆସିବ ।