ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶ ନେଇ ଯାଇଥିବା ସ୍ପେସ୍କ୍ରାଫ୍ଟ ଫେରିଲା
ଶେଷରେ ସୁନୀତା ଓ୍ବିଲିୟମ୍ସଙ୍କୁ ମହାକାଶରେ ଛାଡ଼ି ପୃଥିବୀ ପୃଷ୍ଠକୁ ଫେରିଛି ବୋଇଂ ଷ୍ଟାରଲାଇନର କ୍ୟାପସୁଲ। ଶନିବାର ନ୍ୟୁ ମେକ୍ସିକୋର ହ୍ବାଇଟ୍ ସ୍ୟାଣ୍ଡ୍ସ ମିଜାଇଲ ରେଞ୍ଜରେ କ୍ୟାପସୁଲ୍ ସଫଳତାର ସହିତ ଅବତରଣ କରିଛି।ଜୁନ୍ ପ୍ରଥମ ସପ୍ତାହରେ, ବୋଇଂ ଷ୍ଟାର୍ଲାଇନର ମହାକାଶଯାନ ସୁନୀତା ଏବଂ ବୁଚ୍ଙ୍କୁ ମହାକାଶକୁ ନେଇଥିଲା। ଏହା ପରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଉଭୟ ମହାକାଶଚାରୀ ପୃଥିବୀକୁ ଫେରିପାରିଲେ ନାହିଁ। ବର୍ତ୍ତମାନ ଏହି ମହାକାଶଯାନ ବିନା କ୍ରୁ’ରେ ପୃଥିବୀକୁ ଫେରିଆସିଛି।
ମହାକାଶଯାନ ସିନା ଫେରିଛି ମାତ୍ର ସୁନୀତା ଏବଂ ବୁଚ୍ ଆସନ୍ତା ବର୍ଷ ଫେବୃଆରୀରେ ଫେରିବେ। ଷ୍ଟାର୍ଲାଇଇନର ସେପ୍ଟେମ୍ବର ୬ ବିଳମ୍ବିତ ରାତିରେ ଅନ୍ତର୍ଜାତୀୟ ସ୍ପେସ୍ ସେଣ୍ଟରରୁ ବାହାରି ୭ ସେପ୍ଟେମ୍ବର ଅର୍ଥାତ୍ ଶନିବାର ପୃଥିବୀକୁ ଫେରିଛି। ଏହି ମିଶନ ଉପରେ ସାରା ବିଶ୍ୱର ବୈଜ୍ଞାନିକଙ୍କ ନଜର ରହିଥିଲା।ନାସା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋର ଆସନ୍ତାବର୍ଷ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସଏସ)ରେ ରହିବେ। ଏଲନ ମସ୍କଙ୍କ ସ୍ପେସ୍ଏକ୍ସ(spaceX) ସ୍ପେଶକ୍ରାଫ୍ଟ ଜରିଆରେ ସେମାନଙ୍କୁ ଫେରାଇ ଅଣାଯିବ। ବୋଇଂ ଷ୍ଟାରଲାଇନର ଆଇଏସଏସ ଛାଡ଼ିବା ପରେ ସୁନୀତା ରେଡିଓ ଯୋଗେ ବାର୍ତ୍ତା ଦେଇ ସୂଚନା ଦେଇଥିଲେ।
