ସୁଲୋଚନାଙ୍କୁ କଡ଼ା କାଉଣ୍ଟର କଲେ ଉପମୁଖ୍ୟମନ୍ତ୍ରୀ

ସ୍ଥାନୀୟ ଗାନ୍ଧୀମାର୍ଗରେ ଶନିବାର ‘ସୁଭଦ୍ରା’ ସଚେତନତା ରଥର ଶୁଭ ଉଦ୍‌ଘାଟନ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନର ଚରଣ ମାଝି ଏହାର ଶୁଭ ଉଦ୍‌ଘାଟନ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମିଲ ହୋଇ କହିଥିଲେ, ଶେଷ ହିତାଧିକାରୀ ପର୍ଯ୍ୟନ୍ତ ସୁଭଦ୍ରା ପଞ୍ଜୀକରଣ ଚାଲିବ। ଧୈର୍ଯ୍ୟ ରଖନ୍ତୁ, ଖୁବ୍‌ଶୀଘ୍ର ସୁଭଦ୍ରା ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚିବ। ତେବେ ମେୟର ସୁଲୋଚନା ଦାସ କଡ଼ା ଟିପ୍ପଣୀ ଦେଇଛନ୍ତି। ଶ୍ରୀମତୀ ଦାସ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଛନ୍ତି, ୫ ହଜାର ଟଙ୍କାରେ ମହିଳା ଆତ୍ମନିର୍ଭରଶୀଳ ହେବା ସମ୍ଭବ ନୁହେଁ।ଏକାଥରକେ ୫୦ ହଜାର ଟଙ୍କା ନମିଳିଲେ ଆତ୍ମନିର୍ଭରଶୀଳ ହୋଇ ପାରିବ ନାହିଁ । ବିଜେପି ସରକାର ୫୦ ହଜାର ଟଙ୍କା ୨ ବର୍ଷରେ ଦେବେ ବୋଲି କହିଥିଲେ । ଯଦି ୨ ବର୍ଷରେ ଦେଇଥାନ୍ତେ ଲାଭ ହୋଇଥାନ୍ତା । ପୂର୍ବ ସରକାର ମିଶନ ଶକ୍ତି ଜରିଆରେ ଏସ୍‌ଏଚ୍‌ଜି ଦେଢ଼ ଲକ୍ଷ ଟଙ୍କା ଦେବା ସହିତ ମୁକ୍ତା ଯୋଜନାରେ ବହୁ ମହିଳାଙ୍କୁ ଟଙ୍କା ଦେଇଥିଲେ । କାମରେ ଆସୁଥିଲା ।ଅନ୍ୟପକ୍ଷରେ ସୁଲୋଚନାଙ୍କ ଏହି କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ କଡ଼ା କାଉଣ୍ଟର କରିଛନ୍ତି। ସେ କହିଛନ୍ତି, ଏଥିରେ ବଡ଼ ଶିଳ୍ପ କରିପାରିବେନି, କିନ୍ତୁ ମହିଳାଙ୍କ ସାହସ ବଢ଼ିବ। ଆଗାମୀ ଦିନରେ ଲକ୍ଷପତି ଦିଦିରେ ଓଡ଼ିଶା ଏକ ନମ୍ବର ହେବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।