CMOରୁ ଫାଇଲ ଗାୟବ ମାମଲା: ଖୁବଶୀଘ୍ର ଜେରା
CMOରୁ ନାଇଡୁ କମିଶନ ଫାଇଲ ଗାୟବ ମାମଲାରେ କ୍ରାଇମବ୍ରାଞ୍ଚ ଡିଜି ମଙ୍ଗଳବାର ଗଣମାଧ୍ୟମକୁ ଏକ ବଡ଼ ବୟାନ ଦେଇଛନ୍ତି। ମାମଲାର ତଦନ୍ତ ଟେକ୍ନିକାଲ ଉପାୟରେ କରାଯାଉଛି। ଖୁବଶୀଘ୍ର ଏକାଧିକ ଲୋକଙ୍କୁ ଜେରା କରାଯିବ ବୋଲି ସେ କହିଛନ୍ତି। ମାମଲାରେ ଯାହାର ସମ୍ପୃକ୍ତି ଆସିବ ସେ ହାଜର ହେବା ପାଇଁ ବାଧ୍ୟ ବୋଲି ଡିଜ କହିଛନ୍ତି। ଗୃହ ବିଭାଗରୁ ଆରମ୍ଭ କରି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଫାଇଲର ସମ୍ପୂର୍ଣ୍ଣ ଗତିବିଧିକୁ ଯାଞ୍ଚ କରାଯାଉଛି।
ଏହି ପ୍ରକ୍ରିୟାକୁ ସହଜ କରିବା ପାଇଁ ତିନୋଟି କାର୍ଯ୍ୟାଳୟକୁ ନୋଡାଲ ଅଫିସର ନିଯୁକ୍ତ କରିବାକୁ ଚିଠି ଲେଖାଯାଇଛି। ଆବଶ୍ୟକ ତଥ୍ୟ ଓ ଦସ୍ତାବିଜ ମଗାଯାଇଛି। ସମସ୍ତ ତଥ୍ୟ ଓ ପ୍ରମାଣ ସଂଗ୍ରହ ହେବା ପରେ ସେଗୁଡ଼ିକର ବିଶ୍ଳେଷଣ କରାଯିବ। ତା’ପରେ କେଉଁ ବ୍ୟକ୍ତିଙ୍କୁ ନୋଟିସ୍ କିମ୍ବା ସମନ ଜାରି କରାଯିବ, ସେନେଇ ନିଷ୍ପତ୍ତି ନିଆଯିବ। କୌଣସି ବ୍ୟକ୍ତିଙ୍କୁ ଅଯଥା ଡକାଯିବ ନାହିଁ । ବରଂ ତାଙ୍କର ଭୂମିକା ଅନୁଯାୟୀ ପଚରାଉଚରା କରାଯିବ ବୋଲି କ୍ରାଇମବ୍ରାଞ୍ଚ ଡିଜି ସ୍ପଷ୍ଟ କରିଛନ୍ତି।ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି,” ସରକାରଙ୍କ ପାଖରେ ଦୁଇଟି ବାଟ ଅଛି । ପ୍ରଥମ କଥା ହେଉଛି ହଜିଥିବା ରିପୋର୍ଟକୁ ଖୋଜିକି ବାହାର କରିବା । ରିପୋର୍ଟକୁ ଖୋଜିବା କାର୍ଯ୍ୟ କରୁଛି । ତଦନ୍ତ ଚାଲିଛି । ତଦନ୍ତରୁ ଦୁଇଟି ଫଳାଫଳ ଆଶା କରାଯାଉଛି । ରିପୋର୍ଟ ମିଳିବ । ନହେଲେ ରିପୋର୍ଟ ନଷ୍ଟ ହୋଇଥିବ । ମିଳିଗଲେ ରିପୋର୍ଟକୁ ସାର୍ବଜନୀନ କରାଯାଇପାରିବ । ଯଦି ନ ମିଳିବ ବା ନଷ୍ଟ ହୋଇଥିବ କିମ୍ବା ହଜାଯାଇଥିବ, ତାହାଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । କମିଶନର ତଦନ୍ତ ଚାଲିଥିବା ବେଳେ ଜଷ୍ଟିସ ଏସ ନାଇଡୁଙ୍କ କୋର୍ଟରେ ଦୀର୍ଘ ସମୟ କାମ କରିଛି । ଜଷ୍ଟିସ ଏସ ନାଇଡୁ, କମିଶନଙ୍କ ସଚିବ ଅନୀଲ ପଟ୍ଟନାୟକ ଓ କର୍ମଚାରୀଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ରହିଛି ।”