NEET-UG ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି
ଦେଶର ସବୁଠାରୁ ବଡ଼ ଚିକିତ୍ସା ଶିକ୍ଷା ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) ପ୍ରଶ୍ନପତ୍ର ଲିକ୍ ମାମଲାରେ ଆଜି ସର୍ବୋଚ୍ଚ ଅଦାଲତ ବା ସୁପ୍ରିମକୋର୍ଟରେ ଶୁଣାଣି ହେବ । ପରୀକ୍ଷା ପରିଚାଳନାରେ ହୋଇଥିବା ବଡ଼ ଧରଣର ଅନିୟମିତତାକୁ ନେଇ ଦାଖଲ ହୋଇଥିବା ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆବେଦନ ଉପରେ କୋର୍ଟ ଆଜି ବିଚାର କରିବେ । ‘ଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ମେଡିକାଲ୍ ଆସୋସିଏସନ୍’ (FAIMA) ଏବଂ ‘ୟୁନାଇଟେଡ୍ ଡକ୍ଟର୍ସ ଫ୍ରଣ୍ଟ’ ପକ୍ଷରୁ ଦାଖଲ ହୋଇଥିବା ଏହି ଆବେଦନଗୁଡ଼ିକରେ ପରୀକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂଶୋଧନ ପାଇଁ ଦାବି କରାଯାଇଛି ।ଏଥିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି-NTAକୁ ଭଙ୍ଗ କରିବାକୁ ଦାବି ହୋଇଛି।
ଭବିଷ୍ୟତର ପରୀକ୍ଷାଗୁଡ଼ିକୁ କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କମ୍ପ୍ୟୁଟରଭିତ୍ତିକ କରିବାକୁ ପ୍ରସ୍ତାବ ଦିଆଯାଇଛି। କୋର୍ଟଙ୍କ ନୋଟିସ ସତ୍ତ୍ୱେ କେନ୍ଦ୍ର ସରକାର, NTA କିମ୍ବା CBI ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଭାବେ ଏନେଇ ସୂଚନା ଦିଆଯାଇନି।ଅନ୍ୟପଟେ, ନିଟ୍ ପରୀକ୍ଷାର ସ୍ୱଚ୍ଛତା ଓ ସୁରକ୍ଷାକୁ ନେଇ ଚାପ ବଢ଼ୁଥିବାରୁ କେନ୍ଦ୍ର ସରକାର ଏବେ ପ୍ରଶ୍ନପତ୍ରର ଗୋପନୀୟତା ରକ୍ଷା ପାଇଁ ଏକ ଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି । ସରକାର ଏଣିକି ପ୍ରଶ୍ନପତ୍ର ପରିବହନ (Question Paper Transport) ପାଇଁ ସିଧାସଳଖ ‘ଭାରତୀୟ ବାୟୁସେନା’ (Indian Air Force)ର ସହାୟତା ନେବାକୁ ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି । ସୂତ୍ର ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଯାଇଛି, ଯେଉଁଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ଥିଲେ ।ତେବେ ବାୟୁସେନାର ବ୍ୟବହାରକୁ ନେଇ ବୈଠକରେ ଆଲୋଚନା ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ଆଦେଶ ପ୍ରକାଶ ପାଇନାହିଁ । ଏହି ସୁରକ୍ଷା ବ୍ୟବସ୍ଥା ଏବଂ ନୂତନ ରଣନୀତି ଉପରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ଶେଷ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି ।