ମାଟିତଳୁ ଆସୁଥିଲା କାନ୍ଦ ଶବ୍ଦ, ପରେ ଯାହା ଦେଖିଲେ ପାଦତଳୁ ଖସିଗଲା ମାଟି।

କୁହାଯାଏ, ରଖେ ହରି ତ ମାରେ କିଏ? କେବେ କେବେ ଏହି କଥାର ପ୍ରକୃତ ଅର୍ଥ ଅସଲ ଜୀବନରେ ମଧ୍ୟ ପ୍ରତିଫଳିତ ହୋଇଥାଏ। ଏମିତି ଏକ ଘଟଣା ଝାଡ଼ଖଣ୍ଡର ଲୋହରଦଗା ଜିଲାରେ ଦେଖିବାକୁ ମିଳିଛି। ଯେଉଁଠାରୁ ଏକ ଶିଶୁକୁ ଜୀବନ୍ତ ଅବସ୍ଥାରେ ମାଟିତଳୁ ଉଦ୍ଧାର କରାଯାଇଛି। ଏହି ଘଟଣା ସମଗ୍ର ଲୋହରଦଗାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏହି ଘଟଣା କୁଡୁ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି।

ଶନିବାର ସନ୍ଧ୍ୟାରେ ମାଟିତଳୁ କାନ୍ଦ ଶବ୍ଦ ଶୁଣି ଜଣେ ଲୋକ ଅଟକି ଯାଇଥିଲେ। ଯାଇ ଯାହା ଦେଖିଲେ ସେ ଆଶ୍ଚର୍ଯ୍ୟ ହୋଇଗଲେ। ଏକ ନବଜାତକକୁ ମାଟି ତଳେ କେହି ପୋତି ଦେଇଛି। ଏହି ବ୍ୟକ୍ତି ଜଣକ ଗ୍ରାମବାସୀଙ୍କୁ ଡାକି ମାଟିତଳୁ ଶିଶୁଟିକୁ ଉଦ୍ଧାର କରିଥିଲେ। ଶିଶୁଟିକୁ ଗ୍ରାମର ମହିଳାମାନେ କ୍ଷୀର ମଧ୍ୟ ପିଆଇଛନ୍ତି। ଖାଲି ଏତିକି ନୁହେଁ ଗ୍ରାମର ଅନେକ ଲୋକ ଶିଶୁଟିକୁ ଘରକୁ ନେବାକୁ ମଧ୍ୟ ଚାହିଁଥିଲେ। ଶିଶୁଟି ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଥିଲା।

ଏହା ପରେ ଗ୍ରାମବାସୀ ପୋଲିସ ଏବଂ ଶିଶୁ କଲ୍ୟାଣ ବିଭାଗକୁ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ପୋଲିସ ଏହି ଘଟଣାର ଖୋଳତାଡ଼ ମଧ୍ୟ ଆରମ୍ଭ କରିଛି। ଶିଶୁ କଲ୍ୟାଣ ବିଭାଗ ଶିଶୁଟିକୁ ଡାକ୍ତରଖାନା ପଠାଇଛି।

Leave a comment