ଛତିଶା ନିଯୋଗ ବୈଠକ ଶେଷ, ଚନ୍ଦ୍ରଗ୍ରହଣ ନୀତି ନିର୍ଘଣ୍ଟକୁ ଅନୁମୋଦନ
ଆସନ୍ତା ୭ ସେପ୍ଟେମ୍ବର ରବିବାର ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀମନ୍ଦିରରେ ନୀତିକାନ୍ତି ନିର୍ଘଣ୍ଟ ସ୍ଥିର ହୋଇଛି। ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଗ୍ରହଣ ନୀତି ଅନୁଯାୟୀ, ଶନିବାର ରାତ୍ର ୨ ଟାରୁ ଫିଟିବ ଦ୍ବାର । ୨ଟା ୪୦ରେ ମଙ୍ଗଳ ଆଳତି ବଢି ଅନ୍ୟାନ ନୀତିକାନ୍ତି ହେବ । ଦିନ ୧୨ ଟା ୩୦ ସୁଦ୍ଧା ସମସ୍ତ ନୀତିକାନ୍ତି ଅନୁଷ୍ଠିତ ହେବ । ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ କରାଯାଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ । ବୈଠକ ପରେ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏ ନେଇ ସୂଚନା ଦେଇଛନ୍ତି।ପୁରୀ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ, ଗ୍ରହଣ ସମୟରେ ମନ୍ଦିରରେ ସମସ୍ତ ନୀତିକାନ୍ତି ବନ୍ଦ ରହିବ ଏବଂ ସର୍ବମୋକ୍ଷ ପରେ ଆବଶ୍ୟକୀୟ ପୂଜାର୍ଚ୍ଚନା କରାଯିବ। ଏହି ଗ୍ରହଣ ଓଡ଼ିଶା ସମେତ ଭାରତର ଅନ୍ୟ ଅଞ୍ଚଳରେ ଦୃଶ୍ୟମାନ ହେବା ସହ ଏହାର ଧାର୍ମିକ ଓ ଜ୍ୟୋତିଷୀୟ ମହତ୍ତ୍ୱ ରହିଛି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତମାନେ ଏହି ନୀତି ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।ସେହିପରି ଧାଡ଼ି ଦର୍ଶନ ପାଇଁ କିଭଳି ପ୍ରସ୍ତୁତି ହେବ ସେନେଇ ଆଲୋଚନା ହୋଇଛି । ପରୀକ୍ଷାମୂଳକ ଭାବେ ପ୍ରଥମେ ଧାଡ଼ି ଦର୍ଶନ ହେବ । ସମସ୍ତ ନିଯୋଗ ସହିତ ଏନେଇ ଆଲୋଚନା ହୋଇଛି । ଆସନ୍ତାକାଲି ପରିଚାଳନା କମିଟି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯିବ । ମହାପ୍ରଭୁଙ୍କ ପୂଜା ଓ ଦର୍ଶନ ନାଁରେ ଅନଲାଇନରେ ଫେକ୍ ଓ୍ବେବସାଇଟ ଖୋଲିଥିବା ସଂସ୍ଥା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ପୋଲିସ ସହ ଆଲୋଚନା କରାଯାଇଛି । ଏ ନେଇ ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ସୂଚନା ଦେଇଛନ୍ତି ।