ନବୀନ ନିବାସରେ ଯୁବ ଓ ଛାତ୍ର ବିଜେଡି ଟିମ୍‌

ବିଜେଡିରେ ଥମୁନି ଅସନ୍ତୋଷ। ଜଣକ ପରେ ଜଣେ ବରିଷ୍ଠ ବିଜେଡି ନେତା ଅସନ୍ତୋଷ ଝାଡୁଛନ୍ତି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ହୁଅନ୍ତୁ କି ବରିଷ୍ଠ ନେତା ଅଶୋକ ପଣ୍ଡା କିମ୍ବା ପ୍ରଫୁଲ୍ଲ ମଲ୍ଲିକ। ଗୋଟେ ପରେ ଗୋଟେ ବିସ୍ଫୋରକ ବୟାନ ଦେଇଛନ୍ତି। 24 ବର୍ଷର ଶାସନ ବେଳେ କେବେ କେହି ଶୀର୍ଷ ନେତୃତ୍ବଙ୍କ ଉପରେ ପ୍ରଶ୍ନ ଉଠାଇବାକୁ ସାହାସ କରିପାରୁନଥିଲେ। ହେଲେ ପରାଜୟ ପରଠୁ ଅସନ୍ତୋଷ ବଢିଥିଲା। ବିଶେଷ କରି ଓ୍ବାକଫ୍ ବିଲ୍ ଭୋଟ୍ ବେଳେ ଏହା ଜଳଜଳ ଦିଶିଥିଲା। ଏବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅସୁସ୍ଥତା ସମୟରେ ପୁଣି ଭିକେ ପାଣ୍ଡିଆନ ଚର୍ଚ୍ଚାକୁ ଫେରିଛନ୍ତି, ଆଉ ପୁଣି ଫେରିଛି ନେତାଙ୍କ ବିସ୍ଫୋରକ ବୟାନର ସିରିଜ। ଏହାରି ଭିତରେ ଯୁବ ଓ ଛାତ୍ର ବିଜେଡି ଟିମ୍‌କୁ ନବୀନ ନିବାସ ଡାକରା ହୋଇଛି। ଛାତ୍ର ସଭାନେତ୍ରୀ ଇପସିତା ସାହୁ, ଯୁବ ସଭାପତି ଚିନ୍ମୟ ସାହୁ ଉପସ୍ଥିତ ଅଛନ୍ତି। ଯୁବ ଓ ଛାତ୍ର ବିଜେଡିର ପଦାଧିକାରୀଙ୍କୁ ମଧ୍ୟ ନବୀନ ନିବାସ ଡାକରା ହୋଇଛି। ଦେବୀ ତ୍ରିପାଠୀ, ବ୍ୟୋମକେଶ ରାୟ, ଦେବାଶିଷ ଆଚାର୍ଯ୍ୟ, ଶୁଭାଶିଷ ଖୁଣ୍ଟିଆ ଉପସ୍ଥିତ ଅଛନ୍ତି ।ସରକାରଙ୍କ ବିରୋଧରେ ମାଳମାଳ ପ୍ରସଙ୍ଗ । ଏ ସବୁ ବିଧାନସଭା ଭିତରେ ଉପସ୍ଥାପନ କରି ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ବିଜୁ ଜନତା ଦଳ । ସଙ୍ଗଠନକୁ ନୂଆ ରୂପ ଦେବା ସହ ସମସ୍ତଙ୍କୁ ନିଜ ଦାୟିତ୍ବ ନିର୍ବାହ କରିବା ପାଇଁ କ୍ଷମତା ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ଛାମୁଆ ସଙ୍ଗଠନ ବିଧାନସଭା ବାହାରେ ପ୍ରସଙ୍ଗଭିତ୍ତିକ ପ୍ରତିବାଦ କରିବେ । ସରକାରଙ୍କ ବିରୋଧରେ ଜନ ଅସନ୍ତୋଷ ବଢୁଥିବାରୁ ସଙ୍ଗଠନକୁ ଆଗେଇ ନେବାକୁ ରୋଡମ୍ୟାପ ପ୍ରସ୍ତୁତ କରିଛି ବିଜେଡି । ଆଜି ନବୀନ ନିବାସ ଯାଇ ଯୁବ ଓ ଛାତ୍ର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଠାରୁ ଗୁରୁମନ୍ତ୍ର ନେଇଛନ୍ତି ।