ନ୍ୟାୟ ମିଳିଲାନି ବୋଲି ଥାନା ଭିତରେ ବିଷ ପିଇଦେଲେ ବୃଦ୍ଧ!

ଥାନା ପରିସରରେ ବିଷ ପିଇଲେ ବୃଦ୍ଧ । କେନ୍ଦ୍ରାପଡ଼ା ସଦର ଥାନା ପରିସରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଅ-ବୋହୂଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ବାଇପୁର ଗାଁର ଶିବ ପ୍ରସାଦ ପ୍ରଧାନ ବିଷ ପିଇଥିବା ଅଭିଯୋଗ । ସୂଚନା ଅନୁସାରେ, ଶିବପ୍ରସାଦଙ୍କର କିଛି ପାରିବାରିକ ସମସ୍ୟା ରହିଥିଲା। ଏହାର ସମାଧାନ ପାଇଁ ସେ କେନ୍ଦ୍ରାପଡ଼ା ସଦର ଥାନାରେ ଅଭିଯୋଗ କରିଥିଲେ। କିନ୍ତୁ ଥରେ ନୁହେଁ, ବାରମ୍ବାର ଥାନାକୁ ଯାଇ ଅଭିଯୋଗ ଜଣାଇଥିବା ସତ୍ତ୍ୱେ ତାଙ୍କ କଥା ଶୁଣାଯାଇନଥିବା ସେ ଅଭିଯୋଗ କରିଛନ୍ତି।ଏହାକୁ ନେଇ ସେ ମାନସିକ ଭାବେ ଚିନ୍ତିତ ଥିବା କୁହାଯାଉଛି। ଆଉ ଶେଷରେ ଆଜି ଥାନା ଭିତରେ ହିଁ ବିଷ ପିଇଦେଇଥିବା ଅଭିଯୋଗ ହୋଇଛି। ପୂର୍ବ ଅଭିଯୋଗ ଉପରେ କି ପଦକ୍ଷେପ ନିଆଯାଇଥିଲା ଏବଂ ଥାନା ପରିସରରେ ଏଭଳି ଘଟଣା କିପରି ଘଟିଲା, ତାହା ଏବେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ।