ବାଲିଅନ୍ତା ଘଟଣାକୁ ନେଇ କଠୋର କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଭଳି ମବ୍ ଲିଞ୍ଚିଙ୍ଗ୍ ବା ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନ ହୁଏ, ସେଥିପ୍ରତି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତରମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହା ଅତ୍ୟନ୍ତ ବର୍ବର ଘଟଣା। ରାଜ୍ୟ ରାଜଧାନୀ ନିକଟରେ ଏପରି ଜଘନ୍ୟ ଘଟଣା ଘଟୁଥିଲେ ବି ସରକାରଙ୍କ ଅସମ୍ଭବ ନୀରବତା ରାଜ୍ୟବାସୀଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି।ସେ କହିଛନ୍ତି, ପୋଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ? ଅପରାଧୀଙ୍କ ଆଗରେ ପୋଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି ? ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ’ଣ ତାହା ସ୍ପଷ୍ଟ ଅନୁମେୟ।