ବୃତଙ୍ଗ ନଦୀରେ କୁମ୍ଭୀରକୁ ଖୋଜୁଛି ବନ୍ୟପ୍ରାଣୀ ବିଭାଗ l

ଗଣିଆ – ( ବିଶ୍ୱରଂଜନ ସେଠି )ନୟାଗଡ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ପକ୍ଷରୁ ବୃତଙ୍ଗ ନଦୀରେ କୁମ୍ଭୀର ଖୋଜିବା ଆରମ୍ଭ ହୋଇଛି l ଛାମୁଣ୍ଡିଆ ବନାଞ୍ଚଳ ଅଧିକାରୀ ଲଷ୍ମୀନାରାୟଣ ପଣ୍ଡାଙ୍କ ନେତୃତ୍ୱରେ ନନ୍ଦନକାନନରୁ ଆସିଥିବା ଜୁଲୋଜିକାଲ ସର୍ଭେ କର୍ମଚାରୀ ରାଜେଶ କୁମାର, ବନରଖି ଅଞ୍ଜଳୀ ପ୍ରଧାନଙ୍କ ସମେତ ବନକର୍ମଚାରୀ ମାନେ ରବିବାର ବୃତଙ୍ଗ ନଦୀରେ କୁମ୍ଭୀର ଖୋଜିବା ଆରମ୍ଭ କରିଥିବା ଦେଖିବାକୁ ମିଳିଛି l ମହାନଦୀ ମୁହାଣ ଠାରୁ ଖଣ୍ଡାଧୁଆ ଗଣ୍ଡ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୁମ୍ଭୀରର କୌଣସି ସନ୍ଧାନ ମିଳିପାରିନାହିଁ l ସୂଚନା ଥାଉକି ଗତ ଗୁରୁବାର ଦିନ ଲଗାଣ ବର୍ଷାର ବଢ଼ି ପାଣିରେ ମହାନଦୀରୁ ଏକ କୁମ୍ଭୀର ବୃତଙ୍ଗ ନଦୀରେ କୁମ୍ଭୀରଖଣି ଗ୍ରାମ ନିକଟକୁ ଚାଲିଆସିଥିଲା l ସ୍ଥାନୀୟ ଲୋକେ ଦେଖିବାପରେ ଏକ ଭୟର ବାତାବରଣ ସୃଷ୍ଟି ହେବ ସହ ବନ୍ୟପ୍ରାଣୀ ବିଭାଗକୁ ଅବଗତ କରାଇଥିଲେ l

ଖବର ପାଇ ବନାଞ୍ଚଳ ଅଧିକାରୀଙ୍କ ସମେତ ବନକର୍ମଚାରୀମାନେ କୁମ୍ଭୀରଖଣି, ରାଜିଙ୍ଗୀ, ଧୋବାବୋରେଇ, ମହାନାପାଦ, ରାଇଗାଡ଼ିଆ ଆଦି ଗ୍ରାମବାସୀଙ୍କୁ ସଚେତନ କରାଇବା ସହିତ କୁମ୍ଭୀରକୁ ଦେଖିଲେ ତୁରନ୍ତ ବନ୍ୟପ୍ରାଣୀ ବିଭାଗକୁ ସୂଚନା ଦେବାପାଇଁ କହିଥିଲେ l ବୃତଙ୍ଗ ନଦୀରେ କୁମ୍ଭୀର ଦେଖିବା ଦିନଠାରୁ ସ୍ଥାନୀୟ ଗ୍ରାମବାସୀମାନେ ଭୟରେ ବୃତଙ୍ଗ ନଦୀକୁ ସ୍ନାନ ଶୌଚ ପାଇଁ ଯାଉନଥିବା ଜଣାପଡୁଛି l କୁମ୍ଭୀରଟି ମହାନଦୀକୁ ଫେରିଯାଇଥିବା ବନ୍ୟପ୍ରାଣୀ ବିଭାଗ ଅନୁମାନ କରୁଛି l