ମଦଭାଟିରେ ପଶି ମଦ କୁ ଫୋପାଡ଼ିଲେ ଶହ ଶହ ମହିଳା
ଚନ୍ଦାହାଣ୍ଡି- ତା 30.08(ନି.ପ୍ର) ମଦ ଭାଟିରେ ପଶି ମଦ ଫିଙ୍ଗିଲେ ମହିଳା, ଯିଏ ଯେମିତି ଚାହିଁଲା ଫୋପାଡ଼ିଲା l କାନୁନ୍ କାନୁନ୍ ମଦ ପାଉଚ, ରାସ୍ତା ଠାରୁ ଆରମ୍ଭ କରି ସ୍ୱୀକୃତି ପ୍ରାପ୍ତ ମଦ ଭାଟି ଦୋକାନର ଛାତ ଉପରକୁ ମଦ ପାଉଚ କୁ ନଷ୍ଟ କରି ଫିଙ୍ଗି ଚାଲିଥିଲେ ଶହ ଶହ ମହିଳା ଓ ପୁରୁଷ l ନୀରବଦ୍ରଷ୍ଟା ସାଜି ଥିଲା ସ୍ଵୟଂ ଭାଟି ମାଲିକ l ଶହ ଶହ ଲୋକଙ୍କ ବିରୋଧ ଆଗରେ ପାଟି ବି ଖୋଲିବାକୁ ସାହସ କରି ନଥିଲା ଭାଟି ମାଲିକ ଓ ତାହାର ସହଯୋଗୀ l ଏ ଆକ୍ରୋଶର କାରଣ ଖୋଜିବାକୁ ଆମ ପ୍ରତିନିଧି କିଛି ମଦ ବିରୋଧି ଙ୍କ ସହ ଯୋଗାଯୋଗ ଜାରିଥିବା ବେଳେ ନଗରକୁ ଆସିଥିଲା କିଛି ଭିନ୍ନ ତଥ୍ୟ l ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ସନ୍ଧିମୁଣ୍ଡା ସ୍ୱୀକୃତି ପ୍ରାପ୍ତ ଦେଶୀ ମଦ ଭାଟିରେ ଆଜି ଅନକାବେଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ 7 ଗୋଟି ଗ୍ରାମର ମହିଳା ଓ ପୁରୁଷ ମାନେ ଆଜି ମଦ ଭାଟି ପରିଚାଳକ ଙ୍କ ମନମୁଖୀ କାର୍ଯ୍ଯ କଳାପକୁ ବିରୋଧ କରି ସିଧାସଳଖ ଭାବରେ ସ୍ଥାନୀୟ ସନ୍ଧିମୁଣ୍ଡା ସ୍ଥିତ ମଦ ଭାଟିରେ ପଶି ଦୋକାନ ମଧ୍ୟରୁ ବସ୍ତା ବସ୍ତା ମଦ ପାଉଚ ବାହାର କରି ରାସ୍ତାରେ ପକାଇ ଦଳିଚକଟି ଫିଙ୍ଗି ଦେଇଥିଲେ l ଏପରିକି ମଦ ପାଉଚକୁ ମଦଭାଟି ଗୃହର ଛାତ ଉପରକୁ ଉତ୍ୟକ୍ତ ହୋଇ ଫିଙ୍ଗି ଦେଇଥିଲେ l

ପ୍ରକାଶ ଥାଉକି ସନ୍ଧିମୁଣ୍ଡା ମଦ ଭାଟିର ଭାଟି ପରିଚାଳକ ନିଜ ବ୍ୟବସାୟ କେନ୍ଦ୍ର ସନ୍ଧିମୁଣ୍ଡା ଭାଟି ସ୍ଥାନରେ ବିକ୍ରୟ ନକରି ଗାଁ ଗାଁ ବୁଲାଇ ମଦ ବିକୁଥିବା ଯୋଗୁଁ ଗାଁ ଗହଳିର ଛୋଟ ଛୋଟ ପିଲାଛୁଆ, ବୟସ୍କ ବ୍ୟକ୍ତି ମାନେ ମଦ୍ୟପାନ କରି ଅନେକ ଅସାମାଜିକ କାର୍ଯ୍ୟକଳାପରେ ପତିତ ହୋଇ କୁପଥ ଆଡ଼କୁ ଗତି କରୁଥିବାବେଳେ କିଛି ପରିବାରର ସଂସାର ଉଜୁଡ଼ି ଯାଉଥିବା ଦେଖିବାକୁ ମିଳୁଛି l କିଛି ଶିକ୍ଷିତ ଯୁବକ ମଦ୍ୟପାନ କରି ରାସ୍ତାରେ ବୁଲୁଥିବା ବେଳେ, ଅନେକ ଅପରାଧିକ କାର୍ଯ୍ୟକଳାପ ରେ ସମ୍ପୃକ୍ତ ରହୁଥିବା ନଜରକୁ ଆସିଛି l କିଛି ପରିବାର ସର୍ବସ୍ୱାନ୍ତ ହୋଇ ଦାଦନ ଶ୍ରମିକ ସାଜି ପଡ଼ୋଶୀ ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଆଡ଼କୁ ମୁହାଁଇ ପରିଶେଷରେ ଶବ ହୋଇ ଫେରିବାର ବି ନଜିର ରହିଛି l ଏହାକୁ ଦୃଷ୍ଟିରେ ରଖି ସମାଜସେବୀ ନିମାଇଁ ଚରଣ ପାଣ୍ଡେଙ୍କ ନେତୃତ୍ବରେ ପଞ୍ଚାୟତର ଶହ ଶହ ସଂଖ୍ଯାରେ ମହିଳା ଓ ପୁରୁଷ ମାନେ ଏକତ୍ରିତ ହୋଇ ଗାଁ ଗାଁରେ ପଡ଼ା ଖୋଲି ମଦ ବିକୁଥିବା କୋଚିଆ ମାନଙ୍କ ମଦ ବିକ୍ରୟ କୁ ବିରୋଧ କରି ଅନକାବେଡା,ନୂଆପଡ଼ା, ସନ୍ଧିମୁଣ୍ଡା ଗାଁର ପଡ଼ାପଡ଼ା ବୁଲି ମଦ ବିକ୍ରୀକୁ ବିରୋଧ କରି ମଦ ପାଉଚ ଗୁଡିକୁ ଆଣି ରାସ୍ତାରେ ନଷ୍ଟ କରିଥିଲେ l ତେବେ ସାଧାରଣ ଜନତାଙ୍କ ଆକ୍ରୋଶ ର ଉଦ୍ଦେଶ୍ଯ ଓ ଦାବୀ କୁ ଦୃଷ୍ଟିରେ ରଖି ମଦ ଭାଟି ପରିଚାଳକଙ୍କ ମନମୁଖୀ ଗାଁ ଗାଁ ବୁଲି ପଡା ବାଲାଙ୍କୁ ମଦ ବିକ୍ରୟ କରିବା ପାଇଁ ମଦ ଯୋଗାଇବାରେ ଉପରେ ରୋକ୍ ଲଗାଇବାକୁ ସାଧାରଣରେ ଦାବୀ ହେଉଛି l ତେବେ ପ୍ରତିବାଦ କାରୀଙ୍କ କହିବାନୁସାରେ ଯଦି ମଦ ଭାଟି ପରିଚାଳକ ମନ ଇଚ୍ଛା ମଦ ବିକ୍ରୟ ଉପରେ ରୋକ୍ ନ ଲଗାନ୍ତି ତେବେ ଏନେଇ ଆଗକୁ ଏକ ବିରାଟ ଧରଣର ଆନ୍ଦୋଳନ କରାଯିବ ବୋଲି ସୂଚନା ମିଳିଛି l