୫୦ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବେ ନିଯୁକ୍ତି ଦେବାକୁ ସୁପାରିଶ!
ଭାରତୀୟ ସେନାରେ ନିଯୁକ୍ତି ନେଇ କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାର ହେବ ପରିବର୍ତ୍ତନ। ଆଗକୁ ଏହି ଯୋଜନାରେ କିଛି ପରିବର୍ତ୍ତନ ହେବା ନେଇ ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ୫୦ପ୍ରତିଶତ ଅଗ୍ନିବୀରଙ୍କୁ ନିୟମିତ ସୈନିକ ଭାବେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି। ଏହାସହ ଅଗ୍ନିବୀରଙ୍କ ଦରମା ବି ବଢ଼ିପାରେ।
ବର୍ତ୍ତମାନେ ଅଗ୍ନିବୀରଙ୍କ ମଧ୍ୟରୁ ୨୫ପ୍ରତିଶତ ସେମାନଙ୍କ ପ୍ରାରମ୍ଭିକ ଚାକିରି ଅବଧି ପରେ ସ୍ଥାୟୀ ଚାକିରିରେ ରଖାଯାଉଛି। ୪ବର୍ଷ ଶେଷ ସୁଦ୍ଧା ଅଗ୍ନିବୀରଙ୍କ ସ୍ଥାୟୀ ଚାକିରି ସଂଖ୍ୟା ୫୦ପ୍ରତିଶତକୁ ବୃଦ୍ଧି କରିବାକୁ ସେନା ସୁପାରିଶ କରିଛି।ପ୍ରାରମ୍ଭିକ ଘୋଷଣା ମୁତାବକ, ଅଗ୍ନିପଥ ଯୋଜନାରେ ନିଯୁକ୍ତ ଅଗ୍ନିବୀରଙ୍କ ମଧ୍ୟରୁ ୨୫ ପ୍ରତିଶତ ଯବାନଙ୍କ ଚାକିରି କାଳ ଆଉ ୧୫ ବର୍ଷ ପାଇଁ ବଢ଼ାଯିବାର ବ୍ୟବସ୍ଥା ଥିବା ବେଳେ ଅବଶିଷ୍ଟ ୭୫ ପ୍ରତିଶତ ଯବାନଙ୍କୁ କ୍ଷତିପୂରଣ ସହ ଅବସର ଦିଆଯିବାର ବ୍ୟବସ୍ଥା ରହିଛି।
ବର୍ତ୍ତମାନ ୫୫ ପ୍ରତିଶତ ପିଲାଙ୍କ ଚାକିର କାଳ ବୃଦ୍ଧି କରିବାକୁ ବିଚାର ବିମର୍ଶ ଚାଲିଛି। ଚାରି ବର୍ଷ ଶେଷରେ ଯବାନଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରଖାଯାଇଥିବା ଯବାନଙ୍କ ସଂଖ୍ୟା ବୃଦ୍ଧି ହେବା ଉଚିତ୍ ବୋଲି ସେନା ପରାମର୍ଶ ଦେଇଛି। ଆଭ୍ୟନ୍ତରୀଣ ମତାମତ ଏବଂ ସର୍ବେକ୍ଷଣ ପରେ ସେନା ସରକାରଙ୍କୁ ଏହି ସମ୍ଭାବ୍ୟ ପରିବର୍ତ୍ତନଗୁଡିକ ସମ୍ବନ୍ଧରେ ସୁପାରିଶ ଦାଖଲ କରିସାରିଛି।
