ଛାମୁଣ୍ଡିଆ ବନାଚଂଳରେ ବଢୁଛି ଶିକାରୀଙ୍କ ପ୍ରାଦୃଭାବିଦ୍ୟୁତ ଫାଶରେ ଅଣ୍ଡିରା ଗୟଳ ମୃତ

ଗଣିଆ,( ବିଶ୍ୱରଂଜନ ସେଠି) ନୟାଗଡ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନ୍ୟପ୍ରାଣୀ ବନାଚଂଳରେ ଦିନକୁ ଦିନ ଶୀକାରିଙ୍କ ପ୍ରାଦୃଭାବ ବଢିବାରେ ଲାଗିଛି । ଶିକାରୀମାନେ ବେଧଡକ ଭାବେ ବିଦ୍ୟୁତ୍ ଫାଶ ଓ ବିସ୍ଫୋରକ ସାହାଯ୍ୟରେ ବନ୍ୟଜନ୍ତୁ ଶିକାର କରୁଛନ୍ତି । ଗତ ୨ମାସ ମଧ୍ୟରେ ଏହି ବନାଚଂଳରେ ବିଦ୍ୟୁତ ଫାଶରେ ୨ଟି ଅଣ୍ଡିରା ଗୟଳଙ୍କର ମୃତ୍ୟୁ ହୋଇଛି । ଗତ ନଭେମ୍ବର ମାସରେ ବଡମୂଳ ବିଟ୍ ଅଚଂଳରେ ଗୋଟିଏ ଗୟଳର ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ରାଜିଙ୍ଗି ବିଟ୍ ର ବେଟଂପଡା ମାଳିସାହି ଗ୍ରାମ ନିକଟରେ ବିଦ୍ୟୁତ୍ ଫାଶରେ ଆଉ ଏକ ଗୟଳର ମୃତ୍ୟୁ ହୋଇଛି । ଶୁକ୍ରବାର ସକାଳୁ ଖବରପାଇ ଛାମୁଣ୍ଡିଆ ବନାଚଂଳ ଅଧିକାରୀ ପ୍ରଦୀପ ଭୂତିଆ, ବନପାଳ ଗାୟତ୍ରୀ ପରିଡା , ବନରକ୍ଷୀ ଶରତ କୁମାର ପଣ୍ଡା ଘଟଣାସ୍ଥଳରେ ପହଚିଂ ମୃତ ଗୟଳଟିକୁ ଜବତ କରିବା ସହ ଆଖପାଖରୁ ଛିଣ୍ଡା ବିଦ୍ୟୁତ ତାର ପାଇଥିଲେ ।ଏ ନେଇ ବନ ବିଭାଗ ତରଫରୁ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ସିଡ୍ୟୁଲ – ୦୧ ଅନୁଯାୟୀ ୟୁଡି କେସନଂ ୦୬ /୨୫-୨୬ ଋଜୁ କରାଯାଇଛି । ପରେ ନୟାଗଡ ବନଖଣ୍ଡ ଅଧିକାରୀ ଅମରେଶନାଥ ପ୍ରଧାନ ଓ ସହକାରୀ ବନ ସଂରକ୍ଷକ ଦେବୀ ପ୍ରସାଦ ରାଉତ ପହଚିଂ ଗୟଳ ମୃତ୍ୟୁ ସମ୍ପର୍କରେ ତଦନ୍ତ କରିଥିଲେ । ମୃତ ଗୟଳଟିକୁ ବନକର୍ମଚାରୀମାନେ ବନାଚଂଳ କାର୍ଯ୍ୟାଳୟ ପରିସରକୁ ଆଣିବା ପରେ ଗଣିଆ ପ୍ରାଣୀଧନ ନିରୀକ୍ଷକଙ୍କ ଦ୍ୱାରା ବ୍ୟବଛେଦ କରାଯାଇ ପୋତି ଦିଆଯାଇଥିଲା । ରାତ୍ରୀ ପାଟ୍ରୋଲିଂକୁ କଡାକଡି କରାଯିବା ସହ ଶିକାରୀମାନଙ୍କ ଗତିବିଧି ଉପରେ ଦୃଢ ନଜର ରଖିବା ପାଇଁ ସହକାରୀ ବନସଂରକ୍ଷକ ବନକର୍ମଚାରୀ ଓ ଅସ୍ଥାୟୀ କର୍ମଚାରୀମାନଙ୍କୁ ତାଗିଦ୍ କରିଥିଲେ । ତେବେ ଆଗକୁ ଖରାଦିନ ଆସୁଥିବାରୁ ବନ୍ୟଜନ୍ତୁମାନେ ପାଣି ପିଇବା ପାଇଁ ଜନବସତି ମୁହାଁ ହେବେ । ଫଳରେ ବନ୍ୟଜନ୍ତୁମାନେ ଶିକାରୀ ଓ ବୁଲା କୁକୁରଙ୍କର ଦ୍ୱାରା ମୃତ୍ୟୁର ଆଶଙ୍କା ରହିଛି ।