ଜେଏମଏଫସି କୋର୍ଟ ସ୍ଥାୟୀ ଗୃହ ନିର୍ମାଣ,କ୍ଷେତ୍ର ପରିଦର୍ଶନ ପାଇଁ ମାହାଙ୍ଗାରେ ଜିଲ୍ଲାଜଜ

, ମାହାଙ୍ଗା -୮ /୫ (ନିପ୍ର) ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ଠାରେ ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଦୀର୍ଘଦିନୁ ଅସ୍ଥାୟୀ ଭାବେ ଜେ ଏମ ଏଫ ସି କୋର୍ଟ କାର୍ଯ୍ୟକରୁଥିବା ବେଳେ କୋର୍ଟର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଜମି ଚିହ୍ନଟ ହୋଇପାରୁନାହିଁ l ଏହି କୋର୍ଟ ଗୃହ ନିର୍ମାଣ ପାଇଁ ୩ ଏକର ରୁ ଉର୍ଦ୍ଧ୍ଵ ଜମିର ଆବଶ୍ୟକତା ଥିବା ବେଳେ,ବ୍ଲକର ଏକାଧିକ ଅଂଚଳରେ ଜମି ଖୋଜା ଆରମ୍ଭ ହୋଇ ଶେଷରେ କୁହୁଣ୍ଡା ମୌଜାର କୋଠପଦା ଠାରେ ରଘୁନାଥ ଜୀୟୁ ମଠର ସରକାରୀ ଜମି ଚିହ୍ନଟ ହୋଇଥିଲା l ଛତିଆ ସାଲେପୁର ପୂର୍ତ୍ତ ସଡ଼କର କୋଠପଦାରେ ଜେ ଏମ ଏଫ ସି କୋର୍ଟ ବିଲଡିଂ ନିର୍ମାଣ ପାଇଁ ଜିଲ୍ଲାପାଳ ସ୍ଥାନୀୟ ତହସିଲଦାରଙ୍କ ରିପୋର୍ଟ ଆଧାରରେ ଅନୁମୋଦନ ପରେ ଜମି ଅଧିଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ l ତତ୍କାଳୀନ ଜିଲ୍ଲା ଜଜ ଏବଂ ଜିଲ୍ଲା ପ୍ରଶାସନ ଏହି ସ୍ଥାନରେ ପହଂଚି ଅନୁକୂଳ ରିପୋର୍ଟ ଦେବାରୁ ବିରୂପା ଗେଙ୍ଗୁଟି ଦ୍ବୀପାଞ୍ଚଳରେ କୋର୍ଟ ସ୍ଥାପନ ସାକାର ହେବବୋଲି କୁହାଯାଉଥିଲା l ତେବେ ନୂଆ ଜିଲ୍ଲା ଜଜ ମାନସ ରଞ୍ଜନ ବାରିକ ଯୋଗଦେବାପରେ ମାହାଙ୍ଗା ବ୍ଲକର ଚାରିଟି ସ୍ଥାନ ପରିଦର୍ଶନ କରି ଫେରିଯାଇଥିଲେ l ଆଜି ପୁନର୍ବାର କୋଠପଦା ଠାରେ ପହଂଚି ପୂର୍ବରୁ କୋର୍ଟ ପାଇଁ ଅନୁମୋଦିତ ସ୍ଥାନ ପରିଦର୍ଶନ କରିଥିଲେ l ସେହିପରି ରଘୁନାଥନଗର ଗ୍ରାମରେ ଥିବା ବିନୋଦ ବିହାରୀଙ୍କ ଜମି ପରିଦର୍ଶନ କରିଥିଲେ l ବ୍ଲକ ସଦର ମହକୁମା କୁଆଁପାଳ ଠାରୁ ରଘୁନାଥ ନଗର ଗ୍ରାମ ୬ କିଲୋମିଟର ଦୂରତାରେ ଥିବାବେଳେ ଏହା ଏକ ଗ୍ରାମୀଣ ଅଞ୍ଚଳ l ସେହିପରି କୁଆଁପାଳ ବ୍ଲକ ଠାରୁ ମାତ୍ର ଦେଢ଼ କିଲୋମିଟର ଏବଂ ଏହି ଜାଗାରେ ସ୍ଥାୟୀ କୋର୍ଟ ଗୃହ ନିର୍ମାଣ ପାଇଁ ସମସ୍ତ ସୁବିଧା ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଜିଲ୍ଲା ଜଜଙ୍କୁ ଅବଗତ କରାଇଥିଲେ l ତେବେ ଉଭୟ ସ୍ଥାନ ପରିଦର୍ଶନ ପାଇଁ ଜିଲ୍ଲା ଜଜଙ୍କ ସହିତ କୋର୍ଟ ରେଜିଷ୍ଟର କୃଷ୍ଣଚନ୍ଦ୍ର ନାୟକ, କୋର୍ଟ ମ୍ୟାନେଜର ବସନ୍ତ କୁମାର ମହାନ୍ତି, ତହସିଲଦାର ଶୁଭାଶିଷ ପାଲଟା, ସ୍ଥାନୀୟ ରାଜସ୍ବ ଅଧିକାରୀ, ମାହାଙ୍ଗା ଜୁଡ଼ିସିଆଲ କୋର୍ଟ ବାର ଆସୋସିଏସର ସଭାପତି ଆଇନୀଜୀବୀ ଦୀପକ କୁମାର ମହାନ୍ତି,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ l କୋଠପଦା ରଘୁନାଥ ଜୀୟୁ ମଠ ଜମି ପାଇଁ ସମସ୍ତ କାଗଜାତ ଜିଲ୍ଲାପାଳଙ୍କ ଅଫିସ ଓ ଜିଲ୍ଲାଜଜଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ଥିବା ବେଳେ, ରଘୁନାଥ ନଗର ବିନୋଦ ବିହାରୀଙ୍କ ଜମିର ଉତ୍ତରାଧିକାରୀ ମାନଙ୍କ ଅନୁମତି ପତ୍ର ପ୍ରଦାନ ପାଇଁ ତହସିଲଦାରଙ୍କୁ କୁହାଯାଇଥିଲା l କେଉଁ ସ୍ଥାନ ଜେ ଏମ ଏଫ ସି କୋର୍ଟ ର ସ୍ଥାୟୀ ଗୃହ ନିର୍ମାଣ ପାଇଁ ଅଧିକ ଉପଯୁକ୍ତ ସେ ନେଇ ଜିଲ୍ଲା ଜଜ ନିଷ୍ପତି ନେବେ ବୋଲି ସୂଚନା ମିଳିଛି l ଅନ୍ୟ ପକ୍ଷରେ ରାଜ୍ୟପାଳଙ୍କ ନିର୍ଦେଶ ପରେ କୋଠପଦା ଜମିର ସମସ୍ତ କାଗଜପତ୍ର ଜିଲ୍ଲାପାଳଙ୍କ ଅଫିସରେ ଦାଖଲ କରିବାକୁ ସ୍ଥାନୀୟ ତହସିଲଦାରଙ୍କୁ ୩ ଥର ଚିଠି ହେବା ସତ୍ୱେ, ତହସିଲଦାର କାହିଁକି ନୀରବ ରହିଛନ୍ତି ସେ ନେଇ ନାନାକଥା ଶୁଣିବାକୁ ମିଳୁଛି l