ଦୁଃଖ ଦେଉଛି ଲାଞ୍ଜିଗଡ଼ରୋଡ଼ ରେଲୱେ ଭୂତଳ ପୋଲ: ଅସରାଏ ବର୍ଷାରେ ଜମୁଛି ପାଣି
HR tv ଓଡ଼ିଆ. କଳାହାଣ୍ଡି (ଶେଖର ସୁମନ ଦାଶ):
ଲୋକଙ୍କ ସୁବିଧା ଲାଗି ତିଆରି ହୋଇଛି ରେଲୱେ ଭୂତଳ ପୋଲ। ହେଲେ ଘଣ୍ଟାଏ ବର୍ଷା ହେଲେ ଜମୁଛି ଆଣ୍ଠୁଏ ଲେଖାଏଁ ପାଣି। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ରୋଡ଼ ଠାରେ
ରେଲୱେ ବିଭାଗର ଭୂତଳ ପୋଲ ଦେଇ ଏବେ ଯିବାଆସିବା କରିବାକୁ ଡରୁଛନ୍ତି ଲୋକେ। କାରଣ ଏହି ରାସ୍ତାରେ ପ୍ରତି ପାଦେ ପାଦେ ଅଛି ବିପଦ। ଲାଞ୍ଜିଗଡ଼ରୋଡ଼ ରେଲୱେ ଷ୍ଟେସନ ରାସ୍ତା ଦେଇ ପ୍ରତିଦିନ ଶହଶହ ଲୋକ ଯିବାଆସିବା କରନ୍ତି। ଏହି ଭୂତଳ ପୋଲରେ ଅସରାଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମୁଛି। ଫଳରେ ଲୋକେ ଯାତାୟାତ ପାଇଁ ହନ୍ତସନ୍ତ ହେଉଛନ୍ତି। ପୂର୍ବରୁ ଅଧିକାଂଶ ସମୟରେ ଟ୍ରେନ୍ ପାଇଁ ଗେଟ୍ ବନ୍ଦ ପଡିଯାଇଉଥିବାରୁ ସ୍ଥାନୀୟ ଲୋକଙ୍କ ଦାବି ଅନୁସାରେ ରେଲୱେ ପକ୍ଷରୁ ଭୂତଳ ବ୍ରିଜ୍ ତିଆରି କରାଗଲା। ହେଲେ ନିର୍ମାଣ ଢାଞ୍ଚା ଭୁଲ ଥିବାରୁ ଏବେ ଟିକିଏ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଛି। ସମସ୍ୟା ଏତିକିରେ ସରିନି ବରଂ ପୋଲ ତଳେ ଶିଉଳି ଓ କାଦୁଅ ରହିଥିବା ଯୋଗୁଁ ଛୋଟବଡ ଦୁର୍ଘଟଣାରେ ଶିକାର ହେବା ଆଶଙ୍କା ଦେଖାଦେଉଛି। ତେବେ ଏଥିରେ
ବର୍ଷାପାଣି ଯିବାପାଇଁ ଡ୍ରେନର ସୁବିଧା କରାଯାଇ ନାହଁ। ଯାହା ଫଳରେ ସାମାନ୍ୟ ବର୍ଷାରେ ପାଣି ଜମି ରହୁଛି। ଉକ୍ତ ରାସ୍ତାରେ ୫ ଗୋଟି ପଞ୍ଚାୟତ ଅଞ୍ଚଳବାସୀ ଦୈନଦିନ ୬ନମ୍ବର ରାଜ୍ୟ ରାଜପଥ ଦେଇ ବ୍ଲକ ମୁଖ୍ୟାଳୟ ବିଶ୍ଵନାଥପୁରକୁ ବିଭିନ୍ନ କାମରେ ଯିବା ଆସିବା କରୁଥିବା ବେଳେ ଏହି ରାସ୍ତା ଦେଇ ଛାତ୍ରଛାତ୍ରୀ ମାନେ ସ୍କୁଲ,କଲେଜ ଯାତାୟାତ କରିବା ପାଇଁ ବହୁ ସମସ୍ୟା ସୃଷ୍ଟି ହେଉଛି। ତେବେ ପୋଲ ତଳରେ ଥିବା ଜଳ ନିଷ୍କାସନ ବ୍ୟବସ୍ଥା କରି ଏହାର ସ୍ଥାୟୀ ମରାମତି କରାଯିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।