ବାପା-ମାଆଙ୍କ ସହ ଘରକୁ ଫେରୁଥିବା ବେଳେ ଝିଅଙ୍କୁ ବୋଲେରୋରେ ଟେକି ନେଲେ ଯୁବକ

ବାପା-ମାଆଙ୍କ ସହ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକାଇ ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ବୋଲେରୋରେ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଛି। ଗଜପତି ଜିଲା ରା.ଉଦୟଗିରି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ଉଦୟଗିରି ଥାନା ଶିଆଳିଲଟି ନିକଟରେ ଅପହରଣ ହୋଇଛି।ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଅଭିଯୋଗ ଅନୁଯାୟୀ, ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ମହାଲିମ୍ବ ଗାଁର ତାରିଣୀ ଦଳାଇ ଶୁକ୍ରବାର ଦିନ ନିଜ ପତ୍ନୀ ଓ ଝିଅଙ୍କ ସହ ଗୋଟିଏ ବାଇକ୍‌ରେ ଗଜପତି ଜିଲ୍ଲା ଅଞ୍ଚମା ଗାଁକୁ ଆସିଥିଲେ। ସନ୍ଧ୍ୟା ସମୟରେ ତିନିଜଣ ବାଇକ୍ ଯୋଗେ ନିଜ ଗାଁକୁ ଫେରୁଥିବା ବେଳେ ଶିଆଳିଲଟି-ମୂଷାଦଳି ନିକଟରେ ଏକ ବୋଲେରୋରେ ଆସିଥିବା ପ୍ରାୟ ୬ ଜଣ ଯୁବକ ସେମାନଙ୍କ ବାଟ ଓଗାଳିଥିଲେ। ଗାଡ଼ିରେ ତେଲ ସରିଯାଇଥିବାର ବାହାନା କରି ଯୁବକମାନେ ପ୍ରଥମେ ବାଇକ୍‌ଟିକୁ ଅଟକାଇଥିଲେ।

ଏହାପରେ ଦୁର୍ବୃତ୍ତମାନେ ତାରିଣୀଙ୍କ ପତ୍ନୀ ଓ ଝିଅଙ୍କୁ ଜୋରଜବରଦସ୍ତ ବୋଲେରୋ ଭିତରେ ବସାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ କିଛି ଦୂର ଯିବା ପରେ ଅପହରଣକାରୀମାନେ ତାରିଣୀଙ୍କ ପତ୍ନୀଙ୍କୁ ରାସ୍ତାରେ ଓହ୍ଲାଇ ଦେଇଥିବା ବେଳେ ଝିଅକୁ ସାଙ୍ଗରେ ନେଇଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ଅଭିଯୋଗ ପାଇବା ପରେ ପୋଲିସ ତନାଘନା ତଦନ୍ତ କରୁଛି।