ଗୁଣ୍ଡୁରୀବାରି ଗ୍ରାମରେ ଗ୍ରହରାଜ ଶନିଦେବଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ

ଗଣିଆ, ( ବିଶ୍ୱରଂଜନ ସେଠି) ନୟାଗଡ଼ ଜିଲା ଗଣିଆ ବ୍ଳକ ଅନ୍ତର୍ଗତ କରଡ଼ାପଡ଼ା ପଂଚାୟତର ଗୁଣ୍ଡୁରିବାରୀ ଗ୍ରାମରେ ନୂତନ ଶନି ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଛି । ଗ୍ରାମବାସୀଙ୍କ ପ୍ରେରଣା ତଥା ପ୍ରଚେଷ୍ଟାରେ ଗ୍ରାମର ପ୍ରତ୍ୟେକ ଗୃହ ସମ୍ମୁଖରେ ଲିପାପୋଛା କରି ସୁସଜ୍ଜିତ କଳସ, ଧୂପ, ଦୀପ ସହିତ ସଜିତ କରାଯାଇ ରଖାଯାଇଥିଲା । ଗତକାଲି କଳସଯାତ୍ରା, ଘଟସ୍ଥାପନ, ଅଙ୍କୁରାରୋପଣ, ଗର୍ଭାଧାନ କରାଯାଇଥିବାବଳେ ଆଜିର ଦିବସରେ ସକାଳୁ ସୂର୍ଯ୍ୟପୂଜା ପରେ ଘୃତଯଜ୍ଞ କରାଯାଇ ନବନିର୍ମିତ ମନ୍ଦିରର ଶୁଦ୍ଧିକରଣ ପରେ ରତ୍ନମୁଦ ସ୍ଥାପନ ଓ ପ୍ରତିଷ୍ଠା କରାଯିବା ସହ ବିଗ୍ରହ ସ୍ଥାପନ କରାଯାଇ ପ୍ରାଣପ୍ରତିଷ୍ଠା କରାଯାଇଥିଲା । ପରେ ଯାଜ୍ଞିକ ବ୍ରାହ୍ଣଣମାନଙ୍କ ଦ୍ୱାରା ଯଜ୍ଞକାର୍ଯ୍ୟ ଆରମ୍ଭ କରାଯାଇ ଘୃତାହୂତୀ ପ୍ରଦାନ କରାଯାଇଥିଲା । ଅପରାହ୍ନରେ ପୁର୍ଣ୍ଣାହୁତି କରାଯାଇଥିଲା । ପରେ ନୂତନ ମନ୍ଦିରରେ ଶ୍ରୀ ଶ୍ରୀ ଶନିଦେବଙ୍କ ବିଗ୍ରହଙ୍କୁ ମନ୍ଦିର ପ୍ରବେଶ କରାଯାଇ ସ୍ଥପନା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ କର୍ତାଭାବେ ଶଙ୍କର୍ଷଣ ପ୍ରଧାନ ଓ କର୍ତୀଭାବେ ମିନିକା ପ୍ରଧାନ ଦାୟିତ୍ୱ କାର୍ଯ୍ୟ ସଂପାଦନ କରିଥିଲେ । ଆଚାର୍ଯ୍ୟଭାବେ ରଂଜନ କୁମାର ଦାଶ ଓ ପ୍ରଚାରକଭାବେ ସୁବାଷ ଚନ୍ଦ୍ର ଶତପଥି କାର୍ଯ୍ୟ ସଂପାଦନ କରିଥିଲେ । ଗ୍ରାମବାସୀଙ୍କ ତରଫରୁ ୨ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ଧର୍ମୀୟ କାର୍ଯ୍ୟକ୍ରମରେ ପ୍ରତ୍ୟହ ନାମଭଜନ କୀର୍ତନରେ ଏକ ଭକ୍ତିମୟ ପରିବେଶ ସୃଷ୍ଠି ହୋଇଥିଲା । ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ଦେଖିବା ପାଇଁ ଆଖପାଖ ଗ୍ରାମରୁ ବହୁ ଶ୍ରଦ୍ଧାଳୁଙ୍କର ଆଗମନ ଦେଖିବାକୁ ମିଳିଥିଲା । ଉକ୍ତ ମହୋତ୍ସବକୁ ମନ୍ଦିର କମିଟିର ତଥା ଗ୍ରାମର ଆଖପାଖ ଅଂଚଳର ଯୁବଗୋଷ୍ଠୀମାନେ ସହଯୋଗ କରିଥିଲେ । ଏହି ଅବସରରେ କରଡ଼ାପଡ଼ା ପଂଚାୟତ ସରପଂଚ ପ୍ରମୋଦିନୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅତିଥିଭାବେ ଅଧ୍ୟକ୍ଷା ଝୁନା ଜେନା, ସରପଂଚ ସଂଘର ସଭାପତି ମାନସ କୁମାର ମହାଖୁଡ଼, କନ୍ଧମାଳ ସାଂସଦଙ୍କ ବ୍ଳକ ପ୍ରତିନିଧି ଶରତ କୁମାର କର, ଗଣିଆ ମଣ୍ଡଳ ବିଜେପି ସଭାପତି ମହାବୀର ମିଶ୍ର, ଗଣିଆ ସରପଂଚ ଗିରିଧାରୀ ସେଠୀ, ଆଡ଼କଟା ସରପଂଚ ସୁବାଶିନୀ ବାରିକି, ଗଣିଆ ସମିତିସଭ୍ୟ ଫକୀର ମୋହନ ଡାକୁଆ, ଛାମୁଣ୍ଡିଆ ସରପଂଚ ଦିପ୍ତିରେଖା ସେନାପତି, ଗ୍ରାମ୍ୟ କମିଟି ସଭାପତି ଇଶ୍ୱର ପ୍ରଧାନଙ୍କ ସମେତ ଗଣିଆ ଅଂଚଳର ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ଶନିଦେବଙ୍କ ସନ୍ଧ୍ୟା ଆଳତୀ ଦେଖିବା ସହିତ ଅଶାୀର୍ବାଦ ଭିକ୍ଷା କରିଥିଲେ । ପରିଶେଷରେ ଉକ୍ତ ଉତ୍ସବ ନିମନ୍ତେ ଆସିଥିବା ସମସ୍ତ ଭକ୍ତମାନଙ୍କୁ ପରିଚାଳନା କମିଟି ତରଫରୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।